Centre for Internet & Society

My op-ed on Odia Wikipedia and its journey of 13 years was published in Odia daily "The Samaja".

୨୦୦୧ ମସିହା, ଇଣ୍ଟରନେଟ ଜରିଆରେ ଭାଷା ସହ ଭାଷାକୁ, ଚଳଣି ସହ ଚଳଣିକୁ, ଲୋକଙ୍କସହ ଲୋକଙ୍କୁ ଯୋଡ଼ିବାର ପଥ ସଳଖ ହେଉଥାଏ । ତେବେ ଆଜିଭଳି ସେତେବେଳକୁ ଇଂରାଜୀ ଭାଷା ଓ ଆମେରିକାର ପତିଆରା ଜଗତରେ କାହିଁରେ କେତେ । ତେଣୁ ଇଣ୍ଟରନେଟରେ ମଧ୍ୟ ଆମେରିକା ଓ ଇଂରାଜୀ ଛାମୁଆ ଥାନଟିକି ମାଡ଼ି ବସିଥାନ୍ତି । ଏ ବେଳକୁ ଆମେରିକାର ଦୁଇ ଯୁବକ ଜିମି ଉଏଲସ ଆଉ ଲାରି ସାଙ୍ଗର ନୂଆ ଏକ କଳ୍ପନା ସହ ପ୍ରକଳ୍ପଟିଏ ଆରମ୍ଭ କଲେ । କଳ୍ପନା ଥିଲା ଅଧିକରୁ ଅଧିକ ଲୋକଙ୍କୁ ଏକ ଏନସାଇକ୍ଲୋପିଡ଼ିଆ ସମ୍ପାଦନା କରିବାର ସୁଯୋଗ ଦେବା । ଏହି ମିଳିତ ସମ୍ପାଦନାରୁ ଯେଉଁ ପ୍ରକଳ୍ପଟି ଜନ୍ମିଲା ସେ ହେଲା ଉଇକିପିଡିଆ । ସେତେବେଳକୁ ଏନ୍‍ସାଇକ୍ଲୋପିଡ଼ିଆ ବ୍ରିଟାନିକା ସବୁ ଲାଇବ୍ରେରି ଆଉ ଏପରିକି ଇଣ୍ଟରନେଟରେ ଗାଦି ମାଡ଼ିବସିଥାଏ, ତା'ପୁଣି ପୁରୁଖା ସମ୍ପାଦକମାନଙ୍କ ସମ୍ପାଦନା ଓ ସଂକଳନରେ ପୁଷ୍ଟ ହୋଇ । ତା' ଆଗରେ କିନ୍ତୁ ଉଇକିପିଡିଆ ସଦମ୍ଭେ ମୁଣ୍ଡ ଟେକିଲା, ଆଉ ୨୦୦୨ବେଳକୁ ଏହା ଜଗତର ବାକି ଭାଷାରେ ମଧ୍ୟ ଆରମ୍ଭ ହେଲା । ଏ ଭାଷା ଭିତରେ ଓଡ଼ିଆ, ପଞ୍ଜାବୀ, ମାଲାୟାଲାମ ଓ ଅହମିୟା ପ୍ରଥମ ଭାରତୀୟ ଭାଷାର ଉଇକିପିଡିଆ ଭାବେ ସାମିଲ ହେଲେ । ନୂଆ ଚାରୋଟି ପ୍ରକଳ୍ପ ସିନା ଆରମ୍ଭ ହେଲା, ହେଲେ କେବଳ ମାଲାୟାଲାମକୁ ଛାଡ଼ି ବାକି ତିନିଟି ଭାଷାରେ ଅଧିକ ଲୋକ ଯୋଡ଼ିହେବା, ନୂଆ ପ୍ରକଳ୍ପ ଲିଖନ, ସମ୍ପାଦନ ଆଦି କାମ ଆଗେଇଲା ନାହିଁ । ଓଡ଼ିଆ ପାଇଁ ଏକ ବିଡ଼ମ୍ବନା ୨୦୧୧ ଯାଏ ଲାଗିରହିଲା । ତେବେ ୨୦୧୧ ବେଳକୁ ଜଣେ କେରଳୀ ଉଇକିଆଳି (ଉଇକିପିଡିଆ ସମ୍ପାଦକ) ସିଜୁ ଆଲେକ୍ସଙ୍କ ଉତ୍ସାହରେ କିଛି ଓଡ଼ିଆ ବେଙ୍ଗାଲୁରୁଠାରେ ଏକାଠି ହେଲେ । ୮ ବର୍ଷ ଧରି ସ୍ଥାଣୁ ହୋଇ ପଡ଼ିଥିବା ଓଡ଼ିଆ ଉଇକିପିଡିଆ ଘରେ ପଢ଼ୁଆଁ ଥର କଲମ ବୁଲିଲା । ଧୀରେଧୀରେ ଅଧିକରୁ ଅଧିକ ଓଡ଼ିଆ ଏଥିରେ ଯୋଡ଼ିହେଲେ, ଏ ସମସ୍ତ ଉଇକିଆଳି ନିଜ ଉତ୍ସାହରେ ଆଉ ବିନା ପାରିଶ୍ରମିକରେ ଲେଖିଚାଲିଲେ । ମାସକୁ ମାତ୍ର କେଇ ହଜାର ଲୋକ ଆଗରୁ ଓଡ଼ିଆ ଉଇକିପିଡିଆ ପଢ଼ୁଥିଲେ । ଆଜି ସାଢ଼େ ଆଠ ଲକ୍ଷରୁ ଅଧିକ ଲୋକ ଏହାର ମାସିକ ପାଠକ । ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଥିବା ବିଶାଳତମ ୱେବସାଇଟ ଓଡ଼ିଆ ଉଇକିପିଡିଆ ସମ୍ପୂର୍ଣ୍ଣ ମାଗଣାରେ or.wikipedia.org ରେ ଉପଲବ୍ଧ । ଆଉ ସବୁଠୁ ମଜାର କଥା ହେଉଛି ଏହା କେବେବି ସମ୍ପୂର୍ଣ୍ଣ ନୁହେଁ । ଛପା ବନ୍ଧା ବହିରେ ଏମିତି ନୂଆନୂଆ ଘଟଣା ଛପା ହେବା ବେଳକୁ ବରଷେ ବିତିଯାଏ । ହେଲେ ଉଇକିପିଡିଆରେ ନିମିଷକେ କୌଣସି ବିଷୟ ଜାଣିଥିବା ଲୋକଟିଏ ନୂଆ ଖାତାଟିଏ ଖୋଲି ଏ ଘଟଣାକୁ ଲିପିବଦ୍ଧ କରିପାରେ ।

ତେବେ ସବୁ ଲୋକଙ୍କୁ ଲେଖିବାର ସୁଯୋଗ ଦେଲେ ଅନେକ ଅଦରକାରୀ ଲେଖାରେ ଯେ ଉଇକିପିଡିଆ ଭରୁଥିବା ଏ ଆଶଙ୍କା ଅମୂଳକ ନୁହେଁ । ତେବେ ଉଇକିପିଡିଆ କିଛି ନିୟମାବଳୀ ଭିତରେ କାମ କରେ । ସଭିଙ୍କୁ ଲେଖିବାର ସ୍ୱାଧୀନତା ମିଳିଛି ସତ, କିନ୍ତୁ ଲେଖାଯାକ ଗପ କବିତା କିମ୍ବା ନିଜର ସ୍ତୁତି ନହେଇ କେବଳ ଜ୍ଞାନକୋଷଭିତ୍ତିକ, ଅର୍ଥାତ କୌଣସି ଜଣାଶୁଣା ସ୍ଥାନ, ଘଟଣା କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ ଲେଖାହୁଏ । ପ୍ରାସଙ୍ଗିକତା ନଥାଇ ଲେଖାଯାଉଥିବା ଅନେକ ଅମୂଳକ ଲେଖାକୁ ହଟାଇ ଦେବାରେ ପୁରୁଖା ପରିଚାଳକମାନେ ସଦା ଜାଗତିଆର । ତା'ଛଡ଼ା ଲେଖାରେ ଏକ ଜଣାଶୁଣା ଲେଖକଙ୍କ କିମ୍ବା ପ୍ରକାଶନର ବହି, ପତ୍ରତ୍ରିକା, ଖବରକାଗଜରେ ଆଗରୁ ପ୍ରକାଶିତ ବିଷୟର ଆଧାରରେ ସେ ବହି/ ଖବରକାଗଜର ନାମ ସହ ଉଇକିପିଡିଆ ପ୍ରସଙ୍ଗମାନ ଲେଖାଯାଏ । ତେଣୁ ଆଗରୁ ପ୍ରକାଶିତ ହୋଇନଥିବା, ନିଜର ମୌଳିକ ରଚନା କିମ୍ବା ଗବେଷଣା ଉଇକିପିଡିଆରେ ସ୍ଥାନ ପାଏନାହିଁ । କୌଣସି ଏନସାଇକ୍ଲୋପିଡିଆକୁ ଟିକେ ଆଡ଼େଇ ଦେଖିବା ତା'ହେଲେ ଏକଥା ବୁଝାପଡ଼େ ଯେ କେବଳ ବିଷୟର ପୁଙ୍ଖାନୁପୁଙ୍ଖ ବଖାଣ ଛଡ଼ା କୌଣସି ସାହିତ୍ୟିକ କଳ୍ପନା କିମ୍ବା ବିଶେଷଣର ବିନ୍ୟାସ ସେଥିରେ ନଥାଏ । ଏ ନିୟମଟି ଉଇକିପିଡିଆ ଖୁବ୍‍ କଡ଼ାକଡ଼ି ମାନିଥାଏ । ତେବେ ସ୍ୱେଚ୍ଛାସେବୀଙ୍କ ସମୟ ବି ସୀମିତ । ଆଉ ଓଡ଼ିଆ ଉଇକିପିଡିଆ ଭଳି ପ୍ରକଳ୍ପରେ ଉଇକିଆଳି ହାତଗଣତିକୁ ସକ୍ରିୟ ପରିଚାଳକ ମାତ୍ର ଜଣେ କି ଦୁଇ । ଏଣୁ ଆଖିରୁ ଗୋଟେ ଯୋଡ଼େ ଭୁଲ ବାଦପଡ଼ିବା ସ୍ୱାଭାବିକ । ଅଧିକ ଓଡ଼ିଆ ନିଜ ଉତ୍ସାହରେ ଏଥିରେ ଯୋଗଦିଅନ୍ତେ ଯଦି ତାଙ୍କ ସମାଗମରେ ଲେଖାସବୁ ଅଧିକଥର ସମ୍ପାଦିତ ହୁଅନ୍ତା । ଆଉ ସେ ମନ୍ଥନରୁ ଲେଖା ସରସ ଓ ଅଧିକ ତଥ୍ୟସମ୍ବଳିତ ହୁଅନ୍ତା । ତେବେ ଏ ଏକ ଆନ୍ଦୋଳନ । ଉଇକିପିଡିଆ ଭଳି ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ବାବଦରେ ସୁଦୂରରେ ରହିଥିବା ଓଡ଼ିଆଙ୍କୁ ଜଣାଇବାର ଉଦ୍ୟମ ଚିରନ୍ତନ । ଓଡ଼ିଆ ଭାଷାଟିକୁ ଖାଲି ଶାସ୍ତ୍ରୀୟ ମାନ୍ୟତା ଦେଇ ସିଂହାସନରେ ବସାଇଦେଲେ ହେବନାହିଁ, ବ୍ୟାବହାରିକ ସ୍ତରରେ କିପରି ଏହା ଅଧିକ ଲୋକଙ୍କ ହାତପାହାନ୍ତାରେ ପହଞ୍ଚିବ ତା ପାଇଁ ବାଟ କଢ଼ାଇବାକୁ ହେବ । ଇଣ୍ଟରନେଟ ଯୋଗେ ଆମ ଭାଷାରେ ଜାଣିବା ପାଇଁ ଲୋକେ କମ୍ପ୍ୟୁଟର-ମୋବାଇଲ ଆଦିର ବ୍ୟବହାର ନକଲେ ଓଡ଼ିଆ ଭାଷା ଯେ ଚିରକାଳ ସେ ଗାଦିରେ ଉଇଓଡ଼ଶଙ୍କ ଜୀବସାର ହୋଇ ରହିଯିବ ।

ଉଇକିପିଡିଆର ଇତିହାସ ଆମ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆରମ୍ଭ ସହ ଅନେକାଂଶରେ ମିଶେ । ଭାଷାକୋଷର ସଂକଳକ ଗୋପାଳ ଚନ୍ଦ୍ର ପ୍ରହରାଜ ଥିଲେ ଜଣେ ଓକିଲ । ହେଲେ ଓଡ଼ିଶାର ଅଞ୍ଚଳଅଞ୍ଚଳ ବୁଲି ଶବ୍ଦଖୋଜାର ସଉକ ତାଙ୍କୁ ଏତେ ଘାରିଥିଲା ଯେ ନିଜର ସାଥିମାନଙ୍କୁ ଏକାଠି କରି ଏ କାମଟି ଆରମ୍ଭ କରିଥିଲେ । ଦଳବଦ୍ଧ କାମ ସବୁ ପାଣ୍ଡୁଲିପିର ରୂପ ନେଲା । ପ୍ରହରାଜେ ପୁଣି ଖୋଜିବସିଲେ ତାକୁ ଛପାଇବା ପାଇଁ । ରାଜାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷାର ବିଶାଳତମ ଲେକ୍ସିକନ ସେଠୁ ଜନମିଲା । କହିବା ବାହୁଲ୍ୟ ଯେ ନିଜେ ଗୋପାଳ ଚନ୍ଦ୍ର ପ୍ରହରାଜ କିମ୍ବା ତାଙ୍କ ସାଥି କେହି ଲେଖକ କିମ୍ବା ସମ୍ପାଦକ ନଥିଲେ । ହେଲେ ୩୦ ଶତକରେ ଛପା ଏ ସଂକଳନରୁ ଅଧିକ ବଡ଼ ଗ୍ରନ୍ଥ ଓଡ଼ିଆ ଭାଷାରେ ଆଜି ବି ତିଆରି ହୋଇପାରିନାହିଁ । ଇଚ୍ଛାଶକ୍ତି ଖୁବ୍‍ ଦମ୍ଭିଲା ହେଲେ ସାଧାରଣ ଲୋକ କି ଅସାଧାରଣ କାମ କରିପାରନ୍ତି ତାହା ଉଇକିପିଡିଆ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଦୃଷ୍ଟାନ୍ତରୁ ଅନେକ ଶିଖିବାକୁ ମିଳେ ।

ଓଡ଼ିଆ ଉଇକିପିଡିଆରେ ଏବେ ୮୭୦୦ରୁ ଅଧିକ ପ୍ରସଙ୍ଗର ସମ୍ଭାର ଆଉ ଏହା ନିତିନିୟମିତ ୧୫ରୁ ଅଧିକ ଉଇକିଆଳିଙ୍କ ଦେଇ ସମ୍ପାଦିତ । ଏହି ଜୁନ ୩ ତାରିଖରେ ପ୍ରକଳ୍ପଟି ୧୩ ବର୍ଷର କିଶୋରରେ ପରିଣତ ହେଉଛି ।

ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି, ବେଙ୍ଗାଲୁରୁ

[email protected]

The views and opinions expressed on this page are those of their individual authors. Unless the opposite is explicitly stated, or unless the opposite may be reasonably inferred, CIS does not subscribe to these views and opinions which belong to their individual authors. CIS does not accept any responsibility, legal or otherwise, for the views and opinions of these individual authors. For an official statement from CIS on a particular issue, please contact us directly.