ଓଡ଼ିଆ ଭାଷା ବିକାଶରେ ପ୍ରତିବନ୍ଧକ ଓ ସମ୍ଭାବନା
I authored an editorial in today's Samaja (Odia daily). It talks about the hurdles Odia language has been facing and potential aspects of the language including it being used massively on the Internet in Wikipedia and other platforms.
Click to read the article published in the Samaja on October 13, 2014 here. Click to download the file (PDF).
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ସଭା ସମିତି ମାଧ୍ୟମରେ ଗୋଟିଏ କଥା "ଓଡ଼ିଆ ସଂସ୍କୃତରୁ ଆହରିତ ନୁହେଁ, ବରଂ ନିଜେ ସ୍ୱୟଂସମ୍ପୂର୍ଣ୍ଣ ଏକ ଭାଷା ଯାହାର ପାଖାପାଖି ପାଞ୍ଚହଜାର ବର୍ଷର ଇତିହାସ ରହିଛି'ଜନମାନସରେ ବାରମ୍ବାର ବିମ୍ବିତ ହୋଇଛି । ଏହା ଅନେକ ଓଡ଼ିଆଙ୍କୁ ନିଜ ଭାଷା ବାବଦରେ ଖାଲି ସଚେତନ କରିନାହିଁ, ବରଂ କେଇ ଶହ ବର୍ଷର ବିଦେଶୀ ଶାସନ ଓ ତା' ପରର ଭୁଶୁଡ଼ି ପଡ଼ିଥିବା ଏକ ସାମାଜିକ ଅବସ୍ଥା ଭିତରେ, ଢୋକେ ପିଇ ଦଣ୍ଡେ ଜିଇ ଆଗକୁ ଆଗେଇଥିବା ଏକ ଜାତିକୁ ଆତ୍ମଗୌରବ ଦେଇଛି । ୧୯୩୬ରେ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଢ଼ାହେବାବେଳେ ଓଡ଼ିଆଙ୍କ ମଞ୍ଜ ଯେଉଁ ଦମ୍ଭିଲା ହୋଇଥିଲା, ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ତା' ଉପରେ ଏ ଭାଷାକୁ ଆହୁରି କେଇ ହଜାର ବର୍ଷ ଆଗକୁ ବଢ଼ାଇବା ପାଇଁ ସଂକଳ୍ପର ଇନ୍ଧନ ଯୋଗାଇଛି । ତେବେ ଆମର ଏ ଗୌରବ ସାର୍ବଜନୀନ କି କେବଳ ବୁଦ୍ଧିଜୀବୀଙ୍କ ଭିତରେ ସୀମିତ ତାହା ବିଚାରିବାର ବେଳ ଆସିଛି । ଭାଷାଟିଏ କେବେ ହେଁ ଭାଷାଗବେଷାଳିଙ୍କ ଭାଷା ହୋଇ ଜିଏଁ ନାହିଁ, ଜିଏଁ ସାଧାରଣ ଲୋକଙ୍କ ନିତିଦିନର ଜୀବନରେ-ଘରେ, ସାମାଜିକ ମେଳିରେ, ସାହିତ୍ୟରେ ବିଶେଷ କରି ବେପାର-ବଣିଜରେ ଓ ଶାସନରେ । ଆମ ଭାଷା କେତେ କେଉଁଠି ବ୍ୟବହାରରେ ଲାଗୁଛି ଓ କେତେ ଲାଗିବ, ତାହାର ନିର୍ଦ୍ଧାରଣ ନିତାନ୍ତ ଜରୁରୀ । ଏ ଗୁରୁବେଳା ଏବେ ଆସି ଉପନୀତ । ଭାଷାଟିଏ ସବୁବେଳେ ଆରମ୍ଭ ହୋଇଥାଏ ସମାଜ ସମାଜ ଭିତରେ ଭାବ ଦିଆନିଆ ନିମନ୍ତେ । ଇତିହାସ, ସାମାଜିକତା କିମ୍ବା ଧନ ସମ୍ପତ୍ତି ନିଜପର ପିଢ଼ି ପାଇଁ ସାଇତି ରଖିବାପାଇଁ ସମାଜର ପୁରୁଖା ଲୋକେ କଥିତ ଭାଷାକୁ ଲିପି ମାଧ୍ୟମରେ ଲେଖିରଖନ୍ତି । ଏହି ଳେଖିବାର ପ୍ରକ୍ରିୟା କିଛିକାଳ ଚାଲିବା ଭିତରେ ଲିଖନ ପଦ୍ଧତିକୁ ବ୍ୟବସ୍ଥିତ କରିବା ନିମନ୍ତେ ବ୍ୟାକରଣ ତିଆରି ହୁଏ, କେବଳ ଆବଶ୍ୟକତା ମେଣ୍ଟାଇବାପାଇଁ ଲିଖନ ତିଆରି ନହୋଇ ମନୋରଞ୍ଜନ ଓ ଜୀବନଧାରାକୁ ସୁଗମ କରିବାପାଇଁ ସାହିତ୍ୟ ତିଆରି ହୁଏ । ଏମିତି ହୁଏ ଭାଷାର ବିକାଶ । କେବେ ଏକ ଭାଷାଭାଷୀ ସମାଜ ଆଉ ଏକ ଭାଷାଭାସୀ ସମାଜର ଶିକାର ହୁଏ ତ କେବେ ଷଡ଼ଯନ୍ତ୍ରର । ଭାଷା ପ୍ରବାହର ଏ ଆବଡ଼ାଖାବଡ଼ା ପଥରେ ମୂଳ ଭାଷାରୁ କେତେ ନାଶ ହୁଏ କେତେ ଅଲଗା ଭାଷାରୁ ମିଶେ । କେବେକେବେ ଭାଷାଟିଏର ଆଧୁନିକ ରୂପ ମୂଳ ରୂପରୁ ଖୁବ୍ ଅଲଗା ହୋଇବସେ । ଓଡ଼ିଆ, ଏକ ଭାଷା ଭାବେ ଏମିତି ଉତ୍ଥାନ ପତନ ଭିତର ଦେଇ ନିଶ୍ଚିତ ଆସିଛି । ଆଜି ଆମେ ଯଦି କଳିଙ୍ଗରୁ ଆବିଷ୍କୃତ ଲିଖିତ ପୋଥିପୁରାଣରୁ (ଯାହା ପାଳି ଭାଷା ସହିତ ସାମଞ୍ଜସ୍ୟ ରଖେ)ଆମ ଭାଷା ସହ ମେଳ ଖୋଜିବସିବା, ଅନେକ ମେଳ ପାଇବା ନିଶ୍ଚିତ, ହେଲେ ଅନେକ ବର୍ଷର ବ୍ୟବଧାନ ହେତୁ ତା'ର ଅନେକ ଭାଗ ଆମକୁ ବୁଝିବାକୁ ଦୁରୁହ ମଧ୍ୟ ହେବ । ଆମ ଭାଷାର ମୌଳିକତା ଜାଣିବା ସମୟରେ ଆମେ ସବୁଠାରୁ ମୂଳ ପ୍ରମାଣ ଯାହା କେବଳ ଆମର ଅଧୁନା ବ୍ୟବହୃତ ଓଡ଼ିଆ ଭାଷା ସହ ମୋଟାମୋଟି ମିଶୁଥିବା ତଥା ଆମର ସାମାଜିକ ବ୍ୟବସ୍ଥାର ଇତିହାସ ସହ ମିଶୁଥିବ, ତାହା ପରଖି ନିର୍ଦ୍ଧାରିବା । ପ୍ରାମାଣିକ ଓ ଐତିହାସିକ ତଥ୍ୟ, ଲୋକମୁଖରେ ଜୀବନ୍ତ ଇତିହାସ (ଓରାଲ ହିଷ୍ଟି୍ର) ତଥା ପ୍ରତ୍ନତାତ୍ତ୍ୱିକ ଗବେଷଣାର ଆଧାରରେ ଏହା ସାଧିତ ହେବ । ଆମ ଓଡ଼ିଆ ଭାଷା ପାଇଁ କିଛି ଗବେଷଣା ହୋଇଛି, କିଛି କାମ ବାକି ଅଛି, ଆଉ ଆମ ପାଖେ ମିଳୁଥିବା ଭାଷାଗତ, ଲିପିଗତ, ପ୍ରତ୍ନତାତ୍ତ୍ୱିକ ଓ ସାମାଜିକଗତ ପ୍ରମାଣକୁ ଭିତ୍ତିକରି ହୋଇଥିବା ନାନାଦି ଗବେଷଣାକୁ ପରସ୍ପର ସହ ଯୋଡ଼ିବା ଦେଇ ଓଡ଼ିଆ ଭାଷାର କ୍ରମବିକାଶର ଧାରା ଜଣାପଡ଼ିବ । ହେଲେ ଇତିହାସ ଗୋଟେ ଆଡ଼େ, ବାସ୍ତବିକ ଜୀବନରେ ଭାଷାର ପ୍ରତିଛବି ଆଉ ଗୋଟେ ଆଡ଼େ । ଆମେ ଅତୀତରେ ଏକ ଲଢ଼ୁଆ, ପରିଶ୍ରମୀ, ଚତୁର ଜାତି ହୋଇଥିଲେ ହେଁ ଆମ ଏବେକାର ପିଢ଼ିରେ ଯେ ଘୋଡ଼ାମୁହାଁ ପୁଅ ଜନମ ନହେବେ ତା'କିଏ ଦମ୍ଭର ସହ କହିପାରିବ? ଗହଣା ଯେତେ ଝଟକୁ ପଛେ ମାସରେ ଥରେ ତେନ୍ତୁଳିପାଣିରେ ମାଜିବା ଚାହି । ଭାଷାଟିଏ ଯେତେ ପୁରାତନ ଓ ସମୃଦ୍ଧ ହେଉ ପଛକେ, ଛୋଟ ପିଲାଟିଏରୁ ନେଇ ବୁଢ଼ାଯାଏ ସେ ଭାଷାକୁ ନିଜ ଜୀବନଧାରଣର ଭାଷା ଭାବେ ବ୍ୟବହାର ନକଲାଯାଏ ସେ ଭାଷାର ଉତ୍ତରଣ କେବେ ହେବନାହିଁ । ଓଡ଼ିଆ ଭାଷା ଏବେ ଧୀରେଧୀରେ ସାଧାରଣ ବ୍ୟବହାରରୁ ଦୂରେଇ ଯାଉଛି । ଏ କଥା ଯେତେ ବେଦନାଦାୟକ ହେଲେ ବି ସତ । ଆମେ ରକ୍ଷଣଶୀଳ ଭାବେ ଇଂରାଜୀ ବା ହିନ୍ଦୀଭାଷାକୁ ଦୋଷ ହେଉଛୁ ସିନା, କିନ୍ତୁ ସେହି ପରିମାଣରେ ଆମେ ନିଜ ଭାଷା ପାଇଁ ଜନପ୍ରିୟ ମାଧ୍ୟମରେ ସାଧନ ଉପଲବ୍ଧ କରାଇପାରିନାହୁଁ । ମୋବାଇଲ କଷ୍ଟମର କେଆରରେ ଓଡ଼ିଆଟିଏ ସେପଟରୁ କଲ ଉଠାଇ ହିନ୍ଦୀରେ ସିଧା କଥା ହେବା ଆରମ୍ଭ କରିବା ଦେଖି ଲାଗିବ ଆପଣ ବୋଧେ ଦିଲ୍ଲୀ କି ପାଟଣାରେ ଅଛନ୍ତି । ଗଣମାଧ୍ୟମରେ ବହୁବିଧ ଖେଚୁଡ଼ି ଭାଷାରେ ସମ୍ବାଦ ପରିବେଷଣ, ବିଲବୋର୍ଡ଼ଠାରୁ ଆରମ୍ଭ କରି ଟିଭି ବିଜ୍ଞାପନ ଯାଏ ଅବିକଳ ହିନ୍ଦୀ ବା ଇଂରାଜୀ ଢ଼ାଞ୍ଚାରୁ ଓଡ଼ିଆକୁ ବଦଳାଇବା, ଇଂରାଜୀମାଧ୍ୟମ ସ୍କୁଲମାନଙ୍କରେ ଓଡ଼ିଆକୁ ବାଧ୍ୟତାମୂଳକ ନକରାଇବା, ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ, ଦୋକାନ ବଜାରରେ, ରାଜଧାନୀର କ୍ୟାଫେଠାରୁ ଆରମ୍ଭ କରି ଛୋଟଛୋଟ ଦୋକାନରେ ହିନ୍ଦୀରେ କଥାବାର୍ତ୍ତା ଶୁଣି ଲାଗୁଛି ଆମ ସମାଜ ପାଇଁ ଆଉ ଏକ ଭାଷା ଆନ୍ଦୋଳନ ଲୋଡ଼ା ।
ଏକଥା କହିବାର ଉଦ୍ଦେଶ୍ୟ ହେଉଛି ଯେଉଁ ତୋଷାଳିକୁ ଆମ ସଂସ୍କୃତିର ପ୍ରାଣକେନ୍ଦ୍ର କହି ମନ୍ଦିରମାଳିନୀ ଉପାଧି ଦେଇ ଆମେ ମୁଣ୍ଡରେ ବସାଇଛୁ, ସେଇ ସହରରେ ଅନ୍ୟ ରାଜ୍ୟରୁ ଆଗତ ବିଭିନ୍ନ ଭାଷାଭାଷୀ ଇଞ୍ଜିନିଅରିଂ ବା ଅନ୍ୟାନ୍ୟ ଛାତ୍ର ଓ ଚାକିରିଆ କେତେ ଅଧିକ ହୋଇଗଲେ ଯେ, ଆମର ଦୋକାନବଜାରର ବ୍ୟାବହାରିକ ଭାଷା ହିନ୍ଦୀ ହୋଇଗଲା? ଯେଉଁଠି ଆମ ରାଜ୍ୟର ଭାଷା ଓ ଚଳଣିର ବାନା ସୁଦୂର ଜାପାନ, ଥାଇଲାଣ୍ଡ, କୋରିଆ, ମାଲେସିଆ, ସିଙ୍ଗାପୁରଠୁ ଆରମ୍ଭ କରି ଦକ୍ଷିଣ ଆମେରିକାଯାଏ ଉଡ଼ୁଛି ସେଠି ଆମେ ଆମ ପଡ଼ିଶା ରାଜ୍ୟର କେତୋଟି ପିଲାଙ୍କ ପାଇଁ ନିଜର ପରିଚୟ ହରାଇଦେବା? ନିଜ ଭାଷାକୁ ଉଜାଡ଼ି ଦେବା? ବିଶ୍ୱାସ କରିବାକୁ ବାଧ୍ୟ ହେବେ ଯେ ଧୀରେଧୀରେ ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କରେ ବ୍ୟାବହାରିକ ଭାଷା ଉପରେ ବର୍ଣ୍ଣିତ ଖେଚୁଡ଼ି ଭାଷା ହେଲାଣି । ଏଥିରେ ହିନ୍ଦୀ ଛୁଆଁ ଥିବାରୁ କେହି ହିନ୍ଦୀ ଭାଷା ବିଶାରଦ ଯେ ଆନନ୍ଦ ଅନୁଭବ କରିବେ ତାହା ମୋର ଧାରଣା ବାହାରେ । ଏମିତି ବେମୁରବା ଭାଷାର ଏନ୍ତୁଡ଼ିଶାଳ ହିନ୍ଦୀ ଭାଷାର ଅନେକ ଟିଭି ଚ୍ୟାନେଲ ଓ ବଲିଉଡ଼ । ଯାହା ଜଣାଶୁଣା ମିଡ଼ିଆରେ ପ୍ରସାରିତ ହୁଏ ତାକୁ ଯୁବଗୋଷ୍ଠୀ ଶୁଣନ୍ତି । ସେଥିରେ ଯୁବାମନକୁ ସୁହାଇବାକୁ ଏତେ ଯେ ଉପାଦାନ ଭରି ରଖାଯାଇଛି, ଆମ ଓଡ଼ିଆ ଭାଷାର ମିଡ଼ିଆ ଏଯାଏ ପହଞ୍ଚି ପାରୁନାହିଁ; ବରଂ ସେମାନେ ହିନ୍ଦୀ ଭାଷାରେ ପ୍ରସାରିତ ଅନେକ କାର୍ଯ୍ୟକ୍ରମର ନକଲ କରିବାକୁ ଯାଇ ଆହୁରି ବେଙ୍ଗା ଭାଷାଟିଏ ତିଆରି କରୁଛନ୍ତି । ଆଉ ଏ ଭାଷାର ପ୍ରସାର କେଉଁ ଗୋଟିଏ ଭାଷାର ଲାଭ ଯେ ହେଉନାହିଁ ଏକଥା କହିବା ବାହୁଲ୍ୟ । ଏ ଭାଷା ଏବେ ରିଆଲିଟି ଶୋ କିମ୍ବା ଗୀତନାଚ ଭଳି ଅନେକ ମନୋରଞ୍ଜନଧର୍ମୀ ଓଡ଼ିଆ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ । ଭାବନ୍ତୁ, ଆଜିକାଲିର ଶିଶୁମାନେ ବହିଠାରୁ ଯେତେ ଦୂରେଇଗଲେଣି ଆଉ ଓଡ଼ିଆ ଭାଷା ଶିକ୍ଷାକୁ ସ୍କୁଲରେ ଯେଉଁଭଳି ଅବହେଳା କରାଯାଉଛି ସେଥିରେ ପିଲାଟିଏ କେମିତି ଅବା ଶିଖିବ ଓଡ଼ିଆ? ଯଦି ଏ ରାଜ୍ୟର ଆଗାମୀ ପିଢ଼ି ଏ ଭାଷା ଶିଖୁନାହାନ୍ତି, ଯୁବାଏ ୪୦ ଭାଗରୁ ଅଧିକ ଶବ୍ଦ ହିନ୍ଦୀ, ଇଂରାଜୀରୁ ଆହୁରି ଓଡ଼ିଆରେ ବ୍ୟବହାର କରୁଛନ୍ତି ତା'ହେଲେ ଆଉ ଦଶଟି ବର୍ଷରେ ଓଡ଼ିଆ କେଉଁଠି ଥିବ? ଭାଷାଟି କେବଳ କ'ଣ କିଛି ଜେଜେ ବୟସର ଲୋକଙ୍କ ପାଇଁ, ଆଉ ସାହିତ୍ୟ ଚଷୁଥିବା କିଛି ତରୁଣ ଓ ପ୍ରବୀଣଙ୍କ ପାଇଁ?
ତେବେ ଏଥିପାଇଁ ଆମ ଗଣମାଧ୍ୟମ ଏକ ଗୁରୁଭୂମିକା ନିଭାଇ ପାରନ୍ତା । ଏବେ ଯେଉଁ ଓଡ଼ିଆକୁ ଆମେ ମାନକ ବୋଲି ମାନୁଛେ ସେ ଓଡ଼ିଆ ଆମ ଭାଷାର ପୁରାକାଳର ଭାଷା ସହ କିଛି ତ ସାମଞ୍ଜସ୍ୟ ରଖେ । ତା'ର ବାକ୍ୟ ଗଢ଼ଣ ଓ ଶବ୍ଦସମ୍ଭାର ଏବଂ ଦେଶୀୟ କହି ଏକ ସମୟରେ ଫିଙ୍ଗାଯାଇଥିବା ଅନେକ ଶବ୍ଦର ପୁନଃବ୍ୟବହାର କରି ଆଜିର ଖବରକାଗଜ, ରେଡ଼ିଓ-ଟେଲିଭିଜନ ଏବଂ ଇଣ୍ଟରନେଟ୍ରେ ଫେସବୁକ୍, ଉଇକିପିଡ଼ିଆ, ଅନ୍ୟାନ୍ୟ ପୋର୍ଟାଲ ଆଦିରେ ଅଧିକରୁ ଅଧିକ ବ୍ୟବହାର କଲେ ତା'ର ପ୍ରଭାବ ସିଧାସଳଖ ସମାଜ ଉପରେ ପଡ଼ନ୍ତା । ହିନ୍ଦୀ କି ବାକି ଭାଷାରୁ କପି ନକରି ଆମର ଅନେକ ସୁଖପାଠ୍ୟ ସାହିତ୍ୟରୁ କାହାଣୀମାନ ଓ ଆମର ନିଆରା ପରିବେଷଣ ଶୈଳୀଟିଏ ତିଆରି କରାଗଲେ ଆଗାମୀ କେଇ ପିଢ଼ିର ମନ ଭିତରେ ଓଡ଼ିଆ ଯେ ବ୍ୟାବହାରିକ ଭାଷାଭାବେ ଏକ ସମୃଦ୍ଧ ଭାଷା, ଏ ଭାବନା ତିଆରି ହୋଇଯାଆନ୍ତା ।
ଅନେକେ ଆଳ ଦେଖାନ୍ତି ଯେ କମ୍ପ୍ୟୁଟରରେ ଓଡ଼ିଆ ଭାଷାର ବ୍ୟବହାର ଦୁରୂହ । ଅନ୍ତତଃ ୮ବର୍ଷ ଧରି ଓଡ଼ିଆ ବ୍ୟବହାରର ଅନୁଭୂତିରୁ କହିବି ଯେ କମ୍ପ୍ୟୁଟରରେ ବ୍ୟବହାର କରିବାପାଇଁ ଓଡ଼ିଆ ଜଗତର ବାକି ଭାଷା ତୁଳନାରେ କୌଣସି ଗୁଣରେ କମ୍ ନୁହେଁ । ତେବେ କମ୍ପ୍ୟୁଟର ଓ ମୋବାଇଲରେ ଓଡ଼ିଆ ପଢ଼ିବା ଓ ଲେଖିବା ସହିତ ଅଧିକରୁ ଅଧିକ ୱେବସାଇଟ୍ରେ ଓଡ଼ିଆ ବ୍ୟବହାର କରିବା ଅଧିକ ବଢ଼ିନାହିଁ । ପାଖାପାଖି ୧୦-୨୦ଜଣ ସ୍ୱେଚ୍ଛାସେବୀଙ୍କ ଅବଦାନରେ ୮୦୦୦ରୁ ଅଧିକ ଓଡ଼ିଆ ପ୍ରସଙ୍ଗ ତିଆରି ହୋଇପାରିଲା ଓଡ଼ିଆ ଉଇକିପିଡ଼ିଆରେ, ଆମର ଏତେ ଓଡ଼ିଆ ଇଞ୍ଜିନିଅର କ'ଣ ଓଡ଼ିଶାର ପାରମ୍ପରିକ ଖେଳକୁ ନେଇ ମୋବାଇଲ କି କମ୍ପ୍ୟୁଟର ଗେମ୍, ପିଲାଙ୍କୁ ଓଡ଼ିଆ ଶିଖାଇବା ପାଇଁ ଇଣ୍ଟରାକ୍ଟିଭ ଗେମ ତିଆରନ୍ତେ ନାହିଁ? ଆଜିକାଲି ପିଲାଏ ବହି ପଢ଼ାରୁ ଯେଉଁ ଦୂରେଇ ଯାଉଛନ୍ତି, ଇ-ବୁକ୍ ବା ଡିଜିଟାଲ ବହି ତିଆରିଲେ ସେସବୁ ପିଲାଏ ଭଲ ଭାବେ ପଢ଼ିପାରନ୍ତେ ।
ଭାଷା ସାହିତ୍ୟର ଚଉହଦିରୁ ମୁକୁଳି ବେପାର ବଣିଜର ଭାଷା, ଶାସନର ଭାଷା ହେଉ । ଭାଷା ଶିକ୍ଷାଦୀକ୍ଷାର କେବଳ ଭାଷା ନୁହେଁ ବରଂ ବ୍ୟାବହାରିକ ଭାଷା ହେଲେ ଯାଇ ଲୋକେ ତାକୁ ଅଧିକ କହିବା ଆରମ୍ଭ କରିବେ । ଭାଷାକୁ ନେଇ ହୀନମନ୍ୟତା ସେତେବେଳେ ଦୂର ହେବ ଯେତେବେଳେ ଆମେ ଆମ ଭାଷାକୁ ଅର୍ଥ ରୋଜଗାରର ଭାଷା କରିପାରିବୁ । ଭାଷା ଯେତେବେଳେ ବିତ୍ତଶାଳୀଙ୍କ ଭାଷା ହୁଏ ସେଥିରେ ଗବେଷଣା ହେବାର ଅଧିକ । ଭାଷା ଯେଉଁଠି ଯେତେବେଶି ସାମାଜିକ, ସେଠି ସେତେ ବ୍ୟାପକ । କେରଳୀମାନେ ମନ୍ଦିରର ପୂଜାରେ ଖାଲି ନୁହେଁ, ଚର୍ଚ୍ଚର ଉପାସନାରେ ଆଉ ମସଜିଦର ଫାଟକରେ ମଧ୍ୟ ମାଲାୟାଲାମର ବହୁଳ ବ୍ୟବହାର କରନ୍ତି । ସେମାନଙ୍କର ଧର୍ମଗତ ବିଭେଦ ବାହ୍ୟ ରୂପରେ ଏତେ କମ ଯେ ବେଳେବେଳେ ଜଣାପଡ଼େ ନାହିଁ କିଏ କେଉଁ ଧର୍ମର । ଆମର ଭାଷାର ବ୍ୟବହାର ବେଳେବେଳେ ସାମାଜିକ ବ୍ୟବହାରରୁ ସଂକୀର୍ଣ୍ଣ ହୋଇ ଧର୍ମଗତ ହୋଇଛି । କଳିଙ୍ଗର ଇତିହାସ କହେ ଏ ଚତୁର ଜାତି ସାଗର ବେଳାର ଲମ୍ବା ବେଳାଭୂଇଁ ଉପକୂଳରେ ବସତି ସ୍ଥାପନ କରି କେତେ ଦଶନ୍ଧି ରାଜୁତି କରିଥିଲା, ତା'ର ବଣିକ-ସାଧବ ପୁଅ ମାଛମରାଠାରୁ ପାଟଲୁଗା ବୁଣା ବହୁବିଧ କାମରେ ନିପୁଣ ହୋଇ ନିଜର ଭାଷା, ଚଳଣି ଓ ଜୀବନର ଅନେକ ରଙ୍ଗ ଦକ୍ଷିଣ ଏସିଆର ଦେଶମାନଙ୍କରେ ମାଖିଥିଲେ । ସେ ଭାଷା ବଳବାନ, ଯାହା ବେପାର ଆଉ ଶାସନର ଭାଷା । ସରକାରୀ କାମ ସବୁ ଓଡ଼ିଆ ଭାଷାରେ ହେବା ଆରମ୍ଭ ହେଉ । ଆଗରୁ ଦୁଇଥର ହୋଇ ବନ୍ଦ ହୋଇଯାଇଥିବା ଏ ବ୍ୟବସ୍ଥାର ପୁନରାରମ୍ଭ କରାଗଲେ ଅନେକ ସମ୍ଭାବନା ଠିଆ ହୁଅନ୍ତା ଓଡ଼ିଆ ଭାଷାର ଭବିଷ୍ୟତ ପାଇଁ । ଏଥି ସହିତ ଓଡ଼ିଆ ଭାଷାକୁ ନେଇ ଚାକିରି କରିବାପାଇଁ ବି ବାଟ ମିଳିଯାଆନ୍ତା ଯୁବପିଢ଼ିକୁ ।