Centre for Internet & Society

ଓଡ଼ିଆ ଉଇକିପିଡ଼ିଆର ସମ୍ପାଦକମାନଙ୍କ ତରଫରୁ ଭୁବନେଶ୍ୱରଠାରେ ଏହି ୨୯ ତାରିଖରେ “ଓଡ଼ିଶା ଦିବସ ୨୦୧୪” ପାଳନ କରାଯାଉଛି ।

Click to read the original published in Odishan.com on March 27, 2014.


ଏହି ଦିନ ଓଡ଼ିଆ ଶିଶୁ ସାହିତ୍ୟିକ ଡଃ ଜଗନ୍ନାଥ ମହାନ୍ତିଙ୍କ ୧୧ ଖଣ୍ଡ ପୁସ୍ତକର ଡିଜିଟାଲ ରୂପ ପ୍ରସ୍ତୁତ କରିବା ନିମନ୍ତେ ଏକ ପ୍ରକଳ୍ପର ଆରମ୍ଭ କରାଯିବ । ପାଖାପାଖି ୩୦୦୦ ପୃଷ୍ଠା ଡିଜିଟାଇଜ ହେବାକୁ ଥିବା ଏହି ପ୍ରକଳ୍ପଟି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ତରଫରୁ ସ୍କୁଲ ପିଲାଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆଗାମୀ କିଛି ମାସ ଭିତରେ ଆରମ୍ଭ କରାଯିବ । ଏହି ବ‌ହିଗୁଡ଼ିକ ମଧ୍ୟରେ ରହିଛି କିଛି ଶିଶୁସାହିତ୍ୟ ବହି, ଡଃ ମହାନ୍ତିଙ୍କ ଆମୋଦଦାୟକ ଅନେକ ଭ୍ରମଣ କାହାଣୀ ଓ ଓଡ଼ିଆ ଶିଶୁସାହିତ୍ୟର ଇତିହାସ । ଏହି ଦିନ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରକାଶିତ ଓଡ଼ିଆ ଭାଷା ଓ ଜନଜୀବନର ସମ୍ପୂର୍ଣ୍ଣ ଇତିହାସ ସଂକଳିତ ତିନୋଟି ବହି-”ଜାତି, ଜାଗୃତି ଓ ପ୍ରଗତି”, “ଭାଷା ଓ ଜାତୀୟତା” ଓ ଏକ ଇଂରାଜୀ ବହି “Classical Odia”କୁ ଇଣ୍ଟରନେଟରେ ଉପଲବ୍ଧ କରାଇବା ନିମନ୍ତେ ଆଉ ଏକ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଓଡ଼ିଆ ଭାଷାର ଅନେକ ପୁସ୍ତକ ଇଣ୍ଟରନେଟରେ ଉପଲବ୍ଧ ନ ଥିବା ପାଠକମାନଙ୍କ ପାଇଁ ଓଡ଼ିଆରେ ତଥ୍ୟ ଖୋଜିବା ଓ ଜ୍ଞାନ ଆହରଣ ପାଇଁ ଏକ ବିଶାଳ ପ୍ରତିବନ୍ଧକ ବୋଲି ବିଶିଷ୍ଠ ଓଡ଼ିଆ ଭାଷାବିଦ ପଦ୍ମଶ୍ରୀ ଡଃ ଦେବୀପ୍ରସାଦ ପଟ୍ଟନାୟକ କହିଛନ୍ତି । ଆଗରୁ ସୃଜନିକା ଅନୁଷ୍ଠାନ ତରଫରୁ ଓଡ଼ିଆ ଭାଷାର ପାଖାପାଖି ୭୪୦ ଖଣ୍ଡ ପୁରାତନ ପୁସ୍ତକର ଡିଜିଟାଲ ସଂସ୍କରଣ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ କେବଳ ସ୍କାନ କରାଯାଇଥିବା ଏହି ସମସ୍ତ ପୁସ୍ତକର ଲେଖାସବୁ ଖୋଜିବା ସମ୍ଭବ ନୁହେଁ । ଓଡ଼ିଆ ଉଇକିପିଡ଼ିଆ ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ କର୍ମଶାଳା ମାଧ୍ୟମରେ ଏହି ଉପାଦେୟ ବହିକୁ ପୁନଃ-ଟାଇପ କରି ମାଗଣାରେ ବିନା କପିରାଇଟରେ ଇଣ୍ଟରନେଟରେ ପାଠକମାନଙ୍କ ପାଇଁ ରଖାଯିବ । ଓଡ଼ିଆରେ ଏଥିନିମନ୍ତେ ଉଇକି-ପାଠାଗାର ନାମକ ପ୍ରକଳ୍ପ ବ୍ୟବହାର କରାଯିବ ।

ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ସରକାର ଓ ଅନେକ ସଙ୍ଗଠନମାନଙ୍କ ତରଫରୁ ଭାଷାର ବିକାଶ ନିମନ୍ତେ ଅନେକ ନୂଆ ନୂଆ ଯୋଜନା ଆରମ୍ଭ ହୋଇଛି । ତେବେ ଓଡ଼ିଆ ଭାଷାର ଲେଖାମାନ ଏବେ ମଧ୍ୟ ଇଣ୍ଟରନେଟରେ ଅନେକ ପରିମାଣରେ ଉପଲବ୍ଧ ଯାହା ବିଶ୍ୱଦରବାରରେ ଓଡ଼ିଆର ସ୍ଥିତିକୁ ଯଥେଷ୍ଟ ଦୁର୍ବଳ କରିରଖିଛି । ବର୍ତ୍ତମାନର ଅନେକ ଶିଶୁ କମ୍ପ୍ୟୁଟରରୁ ଶିଖିବା ପସନ୍ଦ କଲେଣି ଯାହା ଭାଷା ଶିକ୍ଷଣର ମାଧ୍ୟମରେ ବିରାଟ ପରିବର୍ତ୍ତନର ଆବଶ୍ୟକତାକୁ ଦୃଢ଼ୀଭୂତ କରିଛି । ଏହି ସମସ୍ତ ବିଷୟକୁ ଆଖିରେ ରଖି ଓଡ଼ିଆରେ କମ୍ପ୍ୟୁଟରରେ ବନାନ ସୁଧାରିବା, ଓଡ଼ିଆ ଗଣମାଧ୍ୟମରେ ଓ ଅନ୍ୟନ୍ୟ ମାଧ୍ୟମ ଭାଷାର ବିକାଶରେ କି କି ପଦଃକ୍ଷେପ ନେଇପାରିବେ ସେ ବାବଦରେ ପ୍ରଫେସର ଉଦୟନାଥ ସାହୁ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ଓଡ଼ିଶା ରିଭିଉ ପତ୍ରିକାର ସମ୍ପାଦକ ଓ ସାହିତ୍ୟିକ ଡଃ ଲେନିନ ମହାନ୍ତି ପ୍ରମୁଖ ଆଲୋଚନା କରିବେ ।

ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରନେଟରେ or.wikipedia.org ଠାରେ ଉପଲବ୍ଧ ଏକ ଅନଲାଇନ ଜ୍ଞାନକୋଷ । ଏଥିରେ ଅନ୍ୟ ଜ୍ଞାନକୋଷ ଭଳି କିଛି ହାତଗଣତି ସମ୍ପାଦକ ନଥାଏ ଏଥିରେ ସମସ୍ତଙ୍କୁ ସମ୍ପାଦନାର ସୁବିଧା ଦିଆଯାଇଥାଏ । ତେବେ କେତେକ ନୀତିନିୟମ ଦ୍ୱାରା ଏଥିରେ ଅଦରକାରୀ ଲେଖା ସବୁକୁ ଅଭିଜ୍ଞ ସମ୍ପାଦକମାନେ ସୁଧାରିଥାନ୍ତି । ଓଡ଼ିଆରେ ଅଧୁନା ୨୦ ଜଣ ସମ୍ପାଦକ ସକ୍ରିୟ ଭାବେ ଓଡ଼ିଶାର ଭାଷା, କଳା, ଲୋକସଂସ୍କୃତି ଓ ଜଗତର ବାକି ଅନେକ ବିଷୟରେ ପ୍ରସଙ୍ଗମାନ ସ୍ୱେଚ୍ଛାରେ ସମ୍ପାଦନା କରୁଛନ୍ତି । ୫୦୦୦ ଗୋଟି ପ୍ରସଙ୍ଗରେ ସମୃଦ୍ଧ ପ୍ରଥମ ଭାରତୀୟ ଭାଷାର ପ୍ରକଳ୍ପ ଭାବେ ବାକି ତିନୋଟି ଭାଷା-ଅସମୀୟା, ପଞ୍ଜାବୀ ଓ ମାଲାୟାଲାମ ସହ ୨୦୦୨ରେ ଆରମ୍ଭ ହୋଇଥିଲା । ତେବେ ୯ରୁ ଅଧିକ ବର୍ଷ ଧରି ଏହା ସମ୍ପାଦକଙ୍କ ଅଭାବରୁ ସ୍ଥାଣୂ ହୋଇ ରହିଥିଲା । ୨୦୧୧ରେ କିଛି ଯୁବା ଏହାକୁ ଆଉଥରେ ସକ୍ରିୟ କରିଥିଲେ । ତା’ପରଠାରୁ ଓଡ଼ିଆ ଉଇକିପିଡ଼ିଆ ୧୦ରୁ ଅଧିକ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସହରରେ ୨୦ରୁ ଅଧିକ କର୍ମଶାଳାମାନ କରିସାରିଛି । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଓଡ଼ିଆରେ ଉଇକିପିଡ଼ିଆ ସମ୍ପାଦନା କରିବାକୁ ଆଗ୍ରହୀ ବ୍ୟକ୍ତିମାନଙ୍କ ନିମନ୍ତେ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଛି ।