Centre for Internet & Society

Subhashish Panigrahi is quoted in this article published by Odishan.com on January 12, 2014.

ଗତକାଲି ଭୁବନେଶ୍ବରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ପରିସରରେ କିଟ ବିଶ୍ବବିଦ୍ୟାଳୟ ସହିତ ବେଙ୍ଗାଳୁରୁର ସେଣ୍ଟର ଅଫ ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକ୍ସେସ ଟୁ ନଲେଜ ପ୍ରୋଗ୍ରାମ ଏକ ମେମୋରାଣ୍ଡମ ଅଫ ଅଣ୍ଡରଷ୍ଟାଣ୍ଡିଂ (ଏମ ଓ ୟୁ)ରେ ଦସ୍ତଖତ କରିଛନ୍ତି । କିସଠାରେ ଆଦିବାସୀ ପିଲା ଓ ଅଧ୍ୟାପକମାନଙ୍କୁ ନେଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧି କରିବା ତଥା ଆଦିବାସୀ ଭାଷାରେ ଉଇକିପିଡ଼ିଆର ବିକାଶ ନିମନ୍ତେ ନୂଆ କାର୍ଯ୍ୟକ୍ରମମାନ ଆରମ୍ଭ କରାଯିବ । ଆଦିବାସୀମାନଙ୍କର ଭାଷା, ସଂସ୍କୃତି, କଳା ଓ ଜନଜୀବନର ଅନେକ ଉପାଦେୟ ବିଷୟ ଆଜି ବି ଜନସାଧାରଣଙ୍କ ଅଗୋଚରରେ ରହିଛି ।

ଏହି ବିବିଧ ବିଷୟରେ ବୁଦ୍ଧିଜୀବୀ, ଗବେଷକ ଓ ମାନବବିଦମାନେ ଅଧିକ ଗବେଷଣା ପାଇଁ ଏହି ମିଳିତ ପ୍ରଚେଷ୍ଟା ବିଶ୍ବର ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଏହାକୁ ଉଦଘାଟନ କରି କିସ ଓ କିଟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ କହିଛନ୍ତି । ଏଥିରେ ଯୋଗଦେଇ ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକ୍ସେସ ଟୁ ନଲେଜ ପ୍ରୋଗ୍ରାମର ପ୍ରୋଗ୍ରାମ ଅଫିସର ତଥା ଏହି ଦୀର୍ଘସୂଚୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଥିବା ଶୁଭାଶିଷ ପାଣିଗ୍ରାହୀ ଏହା ଆଦିବାସୀଙ୍କର ଜୀବନକୁ ବିଶ୍ବସ୍ତରରେ ପରିଚିତ କରାଇବ ତଥା ଆଦିବାସୀ ଭାଷାସମୂହର ନଥିକରଣରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ କିଟ ତରଫରୁ ରେଜିଷ୍ଟ୍ରାର ଡଃ ସସ୍ମିତା ସାମନ୍ତ, କିସ ତରଫରୁ ସୂର୍ଯ୍ୟକାନ୍ତ ମହାନ୍ତି ଓ ସେଣ୍ଟର ଅଫ ଇଣ୍ଟରନେଟ ଏଣ୍ଡ ସୋସାଇଟି ତରଫରୁ ଟି ବିଷ୍ଣୁବର୍ଦ୍ଧନ ଏହି ମିଳିତ ଏମ ଓ ୟୁରେ ଔପଚାରିକ ଭାବେ ଦସ୍ତଖତ କରିଥିଲେ ।

ଆଗାମୀ ପାଞ୍ଚ ବର୍ଷ ନିମନ୍ତେ କିଟ ଓ କିସରେ ବହୁବିଧ କର୍ମଶାଳା ଓ ସଚେତନାମୂଳକ ଆଲୋଚନାଚକ୍ର ମାଧ୍ୟମରେ ଶିକ୍ଷକ ଓ ଛାତ୍ରମାନଙ୍କୁ ଇଣ୍ଟରନେଟ ମାଧ୍ୟମରେ ଗବେଷଣାତ୍ମକ ନଥିକରଣ ଓ ଉଇକିପିଡ଼ିଆ ଭଳି ମୁକ୍ତ ଜ୍ଞାନକୋଷରେ ପ୍ରସଙ୍ଗମାନ ଲେଖି ଓ ସମ୍ପାଦନା କରି ନିଜ ଜ୍ଞାନର ବିକାଶ କରିବା ସଙ୍ଗେସଙ୍ଗେ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ମୁକ୍ତଜ୍ଞାନ ବିତରଣ କରିପାରିବେ । ଏଥିସହିତ ବିଶ୍ବର ବାକି ଦେଶମାନଙ୍କରେ ଥିବା ଅନେକ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ସହ ଭାଗନେଇ ନୂତନ ଦିଗନ୍ତମାନ ଉନ୍ମୋଚନ କରିପାରିବେ ।

ଓଡ଼ିଆ ଉଇକିପିଡ଼ିଆ ଯାହା ୨୦୧୧ ମସିହା ପରଠାରୁ ଅନେକ ସମ୍ପାଦକଙ୍କ ଦ୍ବାରା ସମ୍ପାଦନା ହେବାକୁ ଲାଗିଲା, ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ବିଶାଳତମ ଅନଲାଇନ ଜ୍ଞାନକୋଷ ଓ or.wikipedia ରେ ସମସ୍ତେ ଏହାକୁ ପଢ଼ିପାରିବେ ତଥା ଏଥିରେ ଅଧିକ ତଥ୍ୟ ଯୋଡ଼ି ଏଥିରେ ଥିବା ପ୍ରସଙ୍ଗସବୁକୁ ଅଧିକ ତଥ୍ୟପୂର୍ଣ୍ଣ କରିପାରିବେ । ଏଠାରେ ଥିବା ଆଦିବାସୀ ପିଲାମାନେ ନିଜେ ଉଇକିପିଡ଼ିଆ ଭଳି ଏକ ବିଶ୍ବସ୍ତରୀୟ ଜ୍ଞାନକୋଷରେ ଜ୍ଞାନଦାନ ଓ ଗ୍ରହଣ କରି ବାକିମାନଙ୍କ ପାଇଁ ଅନେକ ସହଜ ଶିକ୍ଷଣ ତିଆରି କରିପାରିବେ ବୋଲି ବିଶ୍ବାସ ରଖନ୍ତି ଓଡ଼ିଆ ଉଇକିପିଡ଼ିଆର ସକ୍ରିୟତମ ସଦସ୍ୟ ଶିତିକଣ୍ଠ ଦାଶ । ବୃତ୍ତିରେ ଇଞ୍ଜିନିୟର ହୋଇ ଯଦି ନିଜେ ଅନ୍ୟମାନଙ୍କ ପାଇଁ ପାଠପଢ଼ାର ସାଧନକ୍ଷେତ୍ର ଉଇକିପିଡ଼ିଆକୁ କିଟର ଛାତ୍ରମାନେ ଉନ୍ନତ କରିପାରିବେ ବୋଲି କହନ୍ତି ଉଇକିପିଡ଼ିଆର ଆଉଜଣେ ସ୍ବେଚ୍ଛାସେବୀ ସଦସ୍ୟ ଜ୍ଞାନରଞ୍ଜନ ସାହୁ ।

ଆଗାମୀ କିଛିମାସ ଭିତରେ କିସଠାରେ ଅନେକ ପୁସ୍ତକ, ଜର୍ଣ୍ଣାଲ, ଅନଲାଇନ ଗବେଷଣା ନଥିଆଦି ଅଣାଯାଇ ଏକ ଭିତ୍ତିଭୂମିର ବିକାଶ କରାଯିବ । ଏହା ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କୁ ଅଧିକ ଜ୍ଞାନ ଆହରଣର ସୁବିଧା ଯୋଗାଇବ । ଏହି ପରୋକ୍ଷରେ ଅଧିକ ଛାତ୍ରଙ୍କୁ ପରୋକ୍ଷରେ ସ୍ବାଭାଲମ୍ବୀ କରାଇବା ସଙ୍ଗେସଙ୍ଗେ ସେମାନଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଜଗତସାରା ଲୁକ୍କାୟିତ ଜ୍ଞାନର ବିତରଣରେ ସହାୟକ ହେବ । ଏହି ତୃଣମୂଳ ସ୍ତରର ପରଖ କିଟ ତଥା ଅନେକ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବାଟ କଢ଼ାଇବ ।

Click to read the original published by Odishan.com here