Centre for Internet & Society

News about the Odia Wikisource's 1st anniversary, published in Odia-language web portal Odia Pua on October 25, 2015.

 

ଭୁବନେଶ୍ୱର 25-10 (ଓଡ଼ିଆ ପୁଅ) ଓଡ଼ିଆ ଉଇକିପାଠାଗାର ଇଣ୍ଟରନେଟରେ https://or.wikisource.org ଠାରେ ଉପଲବ୍ଧ ଏକ ଖୋଲା ଅନଲାଇନ ଓଡ଼ିଆ ପାଠାଗାର। ଏହା ସ୍ୱେଚ୍ଛାସେବୀମାନଙ୍କ ଦେଇ ପରିଚାଳିତ ଓ ଏଥିରେ ଅନେକ ଉପାଦେୟ ଓଡ଼ିଆ ବହି ବିଶେଷ କରି କପିରାଇଟ ସରିଯାଇଥିବା ବହିସବୁ ଇଣ୍ଟରନେଟରେ ପଢ଼ିବା ପାଇଁ ମିଳିଥାଏ। ଗତ ବର୍ଷ ଅକ୍ଟୋବର ୨୦ ତାରିଖରେ ଜନ୍ମ ନେଇଥିବା ଏହି ପ୍ରକଳ୍ପକୁ ଏହି ମାତ୍ର ବର୍ଷେ ପୂରିବା ଭିତରେ ୨୧୯ ଖଣ୍ଡ ବହି ଏଥିରେ ଡିଜିଟାଲ ରୂପ ନେଇସାରିଲାଣି। ଆସନ୍ତା କାଲି (୨୫ ତାରିଖ) ୫ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅନ ମ୍ୟାନେଜମେଣ୍ଟ ଅଫ ଆଗ୍ରିକଲଚରାଲ ଏକ୍ସଟେନସନ (ଇମେଜ) ଠାରେ ଏହାର ପ୍ରଥମ ଜନ୍ମତିଥି ପାଳିତ ହେବାକୁ ଯାଉଛି। ଏହି ଅବସରରେ ଓଡ଼ିଆ ଉଇକିମିଡ଼ିଆ ସଂଘ ତରଫରୁ ଓଡ଼ିଆ ଭାଷା ଓ ପାଠାଗାର ଆନ୍ଦୋଳନରେ ଆଗ୍ରହୀ ସଭିଙ୍କୁ ପ୍ରକଳ୍ପର ପରିଚାଳକ ମୃତ୍ୟୁଞ୍ଜୟ କର ଆମନ୍ତ୍ରଣ କରିଛନ୍ତି। ଏଥିରେ ସେ ଓ ସହକର୍ମୀ ଶୁଭାଶିଷ ପାଣିଗ୍ରାହୀ ଉଇକିପାଠାଗାର ସମ୍ବନ୍ଧରେ ଏକ ସବିଶେଷ ବିବରଣି ପ୍ରଦାନ କରିବେ। ୧୮୫୦ରୁ ୧୯୫୦ ଭିତରେ ଛପା ସମସ୍ତ ଓଡ଼ିଆ ପତ୍ରପତ୍ରିକା ସମେତ ପାଖାପାଖି ଦେଢ଼ଲକ୍ଷ ବହି ଡିଜିଟାଇଜ କରିଥିବା ବିଜ୍ଞାନ ଓ ଗବେଷଣା ଅନୁଷ୍ଠାନ "ସୃଜନିକା" ତରଫରୁ ଡ ପୁଷ୍ପଶ୍ରୀ ପଟ୍ଟନାୟକ ଏଥିରେ ସୃଜନିକାର ଲମ୍ବା ଯାତ୍ରା ବାବଦରେ ଏକ ଅଭିଭାଷଣ ରଖିବେ। ଏହା ପରେ ପ୍ରଫେସର ଯତୀନ ନାୟକଙ୍କ ଅଧ୍ୟକ୍ଷତାରେ "ଓଡ଼ିଆରେ ଡିଜିଟାଲ ପାଠାଗାର ଆନ୍ଦୋଳନ" ବାବଦରେ ହେବାକୁ ଥିବା ଏକ ଆଲୋଚନାଚକ୍ରରେ ସମଦୃଷ୍ଟି ଅନୁଷ୍ଠାନ ତରଫରୁ ସୁଧିର ପଟ୍ଟନାୟକ ଓ ଶିକ୍ଷାସନ୍ଧାନ ତରଫରୁ ଅନୀଲ ପ୍ରଧାନ ଯୋଗଦେବେ। ଉଇକିମିଡ଼ିଆ ଫାଉଣ୍ଡେସନର ଅନେକ ପ୍ରକଳ୍ପ ମଧ୍ୟରୁ ଓଡ଼ିଆ ଉଇକିପାଠାଗାର ଏକ ଓ ଏହା ଓଡ଼ିଆ ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ। ଓଡ଼ିଆ ଭାଷା, ସାହିତ୍ୟ ଓ ପାଠାଗାର ଆନ୍ଦୋଳନରେ ଏହା ଏକ ସକ୍ରିୟ ଭୂମିକା ନିର୍ବାହ କରିବାକୁ ଯାଉଛି। "ଅନେକ ରଚନା ତାଳପତ୍ରରେ ଓ ପୁସ୍ତକ ଆକାରରେ ଲିପିବଦ୍ଧ ହୋଇଥିଲେ ମଧ୍ୟ ଧୀରେ ଧୀରେ କାଳ ଗର୍ଭରେ ସେଗୁଡ଼ିକ ଲୋପ ପାଇଯାଉଛନ୍ତି। ଇଣ୍ଟରନେଟରେ ଆମ ଭାଷାର ମୁଲ୍ୟଭାନ ଅନେକ ରଚନା ଡିଜିଟାଇଜ କରି ଦୀର୍ଘକାଳ ନିମନ୍ତେ ରକ୍ଷା କରିବା ଓ ସାଇତି ରଖିବା ଆମର ପ୍ରଚେଷ୍ଟା", କହନ୍ତି ଜଣେ ସକ୍ରିୟ ଉଇକିଆଳି ଡ ସୁବାସଚନ୍ଦ୍ର ରାଉତ। ଇଂରାଜୀରେ ଏହା ଉଇକିସୋର୍ସ ନାମରେ ଜଣା ଓ ୨୦୦୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଆ ଉଇକିପାଠାଗାର ମାତ୍ର ଏକ ବର୍ଷ ହେଲା ଏହି ଦିଗରେ ସଶ୍ରମ ପ୍ରଚେଷ୍ଟା ଜାରି ରଖିଛି। ସ୍ୱେଚ୍ଛାସେବୀମାନଙ୍କ ଅକୁଣ୍ଠ ଶ୍ରମ ପ୍ରଦାନ ଫଳରେ ସ୍ଵତ୍ତ୍ଵାଧିକାର ବାଧା ନ ଥିବା ଅନେକ ପୁସ୍ତକ ଡିଜିଟାଇଜ ହୋଇ ଉଇକିପାଠାଗାର ପୃଷ୍ଠା ମଣ୍ଡନ କରୁଛନ୍ତି।

Read the original here.